Sexual Harassment: ରାଜ୍ୟର କେଉଁ ହସ୍ପିଟାଲ୍ରେ କେତେ ମହିଳା ନିର୍ଯାତନାର ଶିକାର ହୋଇଛନ୍ତି। ପୁଣି ସେଥିରୁ କେତେ ମହିଳା ଶାରିରୀକ ଏବଂ କେତେ ମହିଳା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ଏଭଳି ଏକ ପ୍ରଶ୍ଜନ ପଚାରିଛନ୍ତି ବିରୋଧୀ ଦଳର ନେତ୍ରୀ ତଥା ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକ। ହସ୍ପିଟାଲରେ ସୁରକ୍ଷାକୁ ନେଇ ଚର୍ଚ୍ଚା ଚାଲୁଥିବା ବେଳେ ପ୍ରମିଳାଙ୍କ ଏହି ପ୍ରଶ୍ନ ଏବେ ପ୍ରଶାସନ ଉପରକୁ ଅଙ୍ଗଳି ନିକ୍ଷେପ କରୁଛି।
ପ୍ରମିଳା ପଚାରିଛନ୍ତି, ଓଡ଼ିଶାର ବିଭିନ୍ନ ହସ୍ପିଟାଲରେ ୨୦୨୪ ଜୁନ୍ ମାସଠୁ ନେଇ ଆଜି ଯାଏ କେତେ ମହିଳାଙ୍କୁ ନିର୍ଯାତନା ଦିଆଯାଇଛି। ପୁଣି ସେଥିରୁ କେତେ ମହିଳାଙ୍କୁ ଯୌନ ନିର୍ଯାତନା ଭୋଗିବାକୁ ପଡ଼ିଛି? ଏହାର ଉତ୍ତରରେ ଗୃହ ବିଭାଗକୁ ନିଜ ଅଧୀନରେ ରଖିଥିବା ମୁଖ୍ୟମନ୍ତ୍ରୀ ଉତ୍ତର ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜୁନ୍ ୧ରୁ ଫେବୃୟାରୀ ୭ ତାରିଖ ଭିତରେ ରାଜ୍ୟର ବିଭିନ୍ନ ସରକାରୀ ହସ୍ପିଟାଲରେ ମହିଳାଙ୍କୁ ନିର୍ଯାତନାର ଅଭିଯୋଗ ହୋଇଛି। ସମୁଦାୟ ୧୫ଟି ଅଭିଯୋଗ ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ଦାଖଲ କରାଯାଇଛି। ଏଥିରୁ ୯ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି।
ଏହି ୧୫ଟି ମାମଲା ଭିତରୁ ୧୧ଟିରେ ମହିଳା ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟ ୪ଟିରେ ତାଙ୍କୁ ଶାରିରୀକ ଭାବେ ନିର୍ଯାତନା ଦିଆଯାଇଛି।
ଏହି ମାମଲାଭିତରେ ସବୁଠାରୁ ଅଧିକ କାଣ୍ଡ ଘଟିଛି ଗଞ୍ଜାମ ଜିଲ୍ଲାରେ। ଭଞ୍ଜନଗର ସବ୍ଡିଭିଜନ୍ ହସ୍ପିଟାଲ୍ରେ ସବୁଠାରୁ ଅଧିକ ୬ ଜଣ ମହିଳା ଯୌନ ନିର୍ଯାତନାର ସମ୍ମୁଖୀନ ହୋଇଛନ୍ତି। ଏଥିରୁ ୫ଟିରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ସେହିପରି ଢେଙ୍କାନାଳରେ ୧, ଯାଜପୁରରେ ୧, ପୁରୀରେ ୧ ଏବଂ କଟକର ଏସି୍ସିବି ମେଡିକାଲ୍ କଲେଜରେ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଅଭିଯୋଗ ହୋଇଛି। ସେହିପରି ବ୍ରହ୍ମପୁର କ୍ୟାଟ୍ସ ଆୟୁରବେଦିକ କଲେଜରେ ୨ଜଣ, ବଲାଙ୍ଗୀରରେ ୨ ଜଣ, ଢେଙ୍କାନାଳରେ ଜଣେ ମହିଳାଙ୍କୁ ଶାରିରୀକ ନିର୍ଯାତନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି।
ନିକଟରେ କୋଲକତାର ଆର୍ଜି ହସ୍ପିଟାଲ୍ରେ ହୋଇଥିବା ମହିଳାଙ୍କୁ ନିର୍ଯାତନା ପ୍ରସଙ୍ଗ ସାରା ଦେଶରେ ବିଜୁଳି ଭଳି ଚର୍ଚ୍ଚାର ବିଷୟ ପାଲଟିଥିଲା। ହସ୍ପିଟାଲ୍ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ହୋଇଥିଲା। ଏହି ମାମଲାଗୁଡ଼ିକ ଭିତରୁ କେତୋଟିରେ ହସ୍ପିଟାଲ୍ର କର୍ମଚାରୀ ବା ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।